ରାଜଧାନୀରେ ମହିଳାଙ୍କ ବେକ କାଟିଥିବା ଯୁବକ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା

 ରାଜ୍ୟ ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ସି.ଆର୍‌.ପି. ଛକ ନିକଟରେ ଜଣେ ମହିଳାଙ୍କୁ ଲୁଟ୍‌ କରିବା ଉଦ୍ୟମରେ ତାଙ୍କ ତଣ୍ଟି କାଟିଥିବା ଯୁବକ ଲକଡାଉନ୍‌ ଆରମ୍ଭ ହେବା ସମୟରୁ କାମ ହରେଇ ବେକାର୍‌ ବସିଥିଲା । ଟଙ୍କା ଆବଶ୍ୟକ ହେବାରୁ ସେ ଅପରାଧକୁ ଏକ ସହଜ ପନ୍ଥା ବୋଲି ଭାବି ସକାଳର ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିବା ଏହି ଜଘନ୍ୟ କାଣ୍ଡ ଘଟିବାର ଦିନକ ପରେ କମିଶନରେଟ୍‌ ପୋଲିସ ସେହି ଯୁବକକୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ ଗିରଫ କରିଥିବା ୨୫-ବର୍ଷୀୟ ଯୁବକ ଅମର ଦିଗାଲ ନୟାପଲ୍ଲୀ ରେଣ୍ଟାଲ୍‌ କଲୋନୀର ରହେ । ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।‘ମହିଳାଙ୍କ ଉପରେ ଆକ୍ରମଣ ଘଟଣା ପରଠୁ ଅମର ଫେରାର୍‌ ଥିଲା । ତାକୁ ଧରିବା ପାଇଁ ନୟାପଲ୍ଲୀ ଥାନା ଓ ସ୍ପେଶାଲ୍‌ ସ୍କ୍ୱାର୍ଡ଼ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଯଦିଓ ସି.ସି.ଟି.ଭି. ଫୁଟେଜରେ ପୂରା ଘଟଣା ରେକର୍ଡ଼ ହୋଇଥିଲା, ସେ ମାସ୍କ ପିନ୍ଧିଥିବାରୁ ସ୍ପଷ୍ଟ ଭାବେ ଜଣା ପଡୁ ନ ଥିଲା । ତେଣୁ ତାକୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସି.ସି.ଟି.ଭି.ର ଫୁଟେଜକୁ ଯାଞ୍ଚ କରିବା ପରେ ଆମେ ଅମରକୁ ଧରିବାରେ ସକ୍ଷମ ହୋଇଥିଲୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

You might also like
Leave A Reply

Your email address will not be published.