ରାଜ୍ୟପାଳଙ୍କୁ ବିଦା କରିବାକୁ ଚାହୁଁଛନ୍ତି ମମତା, ଏହା କ’ଣ ସମ୍ଭବ?

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ମତଭେଦ ତୀବ୍ର ହେବାରେ ଲାଗିଛି। ବିଶେଷ କରି ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନରେ ଜିତିବା ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଛି।

ଏବେ ଟିଏମସି ରାଜ୍ୟପାଳଙ୍କୁ ରାଜ୍ୟରୁ ବିଦା କରିବାକୁ ଯୋଜନା ଆରମ୍ଭ କରିଛି। ଆସନ୍ତା ୨ ତାରିଖରୁ ରାଜ୍ୟ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କ୍ଷମତାସୀନ ଟିଏମସି ରାଜ୍ୟପାଳ ଜଗଦୀପଙ୍କୁ ବିଦା କରିବା ପାଇଁ ସ୍ୱତନ୍ତ୍ର ସଂକଳ୍ପ ପାରିତ କରିବ। ପ୍ରସଙ୍ଗ ଅତ୍ୟନ୍ତ ଗୁରୁତର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀଙ୍କ ସହ କଥା ମଧ୍ୟ ହୋଇ ସାରିଛନ୍ତି।

ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ ଚଳିତ ସପ୍ତାହରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ରାଜ୍ୟପାଳ ଜଗଦୀପଙ୍କ ବିରୋଧରେ ଅଭିଯୋଗ କରିବା ସହ ସେ ସରକାରୀ କାର୍ଯ୍ୟକଳାପରେ ଅଯଥା ହସ୍ତକ୍ଷେପ କରୁଥିବା ଅବଗତ କରାଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ କ’ଣ ରାଜ୍ୟ ସରକାର ଚାହିଁଲେ ରାଜ୍ୟପାଳଙ୍କୁ ବିଦା କରିପାରିବେ? ଏହାର ସିଧା ଉତ୍ତର ହେଉଛି ନା। କାରଣ ଭାରତର ସମ୍ବିଧାନ ଅନୁଯାୟୀ ରାଜ୍ୟପାଳ ହେଉଛନ୍ତି କେନ୍ଦ୍ରର ପ୍ରତିନିଧି। ଜଣେ ରାଜ୍ୟପାଳଙ୍କୁ କେବଳ ରାଷ୍ଟ୍ରପତି ନିଯୁକ୍ତି ଦେଇପାରିବେ। ସେହିପରି ସେ ଚାହିଁଲେ ହିଁ ତାଙ୍କୁ ରାଜ୍ୟପାଳ ପଦରୁ ବହିଷ୍କାର କରିପାରିବେ।

କିନ୍ତୁ ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ ଏହା ସମ୍ଭବ। ଯଦି କେନ୍ଦ୍ରରେ ଗୋଟିଏ ସରକାର ଓ ରାଜ୍ୟରେ ଆଉ ଗୋଟିଏ ସରକାର ରହିଛି, ତା’ହେଲେ ରାଜ୍ୟରେ କ୍ଷମତାସୀନ ଦଳ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କୁ ବିଦା କରିପାରିବ। ସମାନ ବିବାଦ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟପାଳ ଜଗଦୀପ ଧାନକର ମଧ୍ୟରେ ସୃଷ୍ଟି ହୋଇଛି।

ତେଣୁ ମମତା ବାନାର୍ଜୀଙ୍କ ପଦକ୍ଷେପ ରାଜନୀତି ଦୃଷ୍ଟିକୋଣରୁ ହୋଇଥିଲେ ହେଁ ଏଥିରେ ସାମ୍ବିଧାନିକ ଗୁରୁତ୍ୱ ବି ରହିଛି। ବିଧାନସଭାରେ ପାରିତ ହେବାକୁ ଥିବା ସଂକଳ୍ପ ରାଜ୍ୟପାଳ ଜଗଦୀପଙ୍କ ବିରୋଧରେ ଲୋକଙ୍କ ଇଚ୍ଛା ଭାବେ ନାଁ ଦିଆଯାଇ ପାରିବ।

ସମ୍ବିଧାନର ଧାରା ୧୫୫ ଓ ୧୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ରର ପ୍ରତିନିଧି ଭାବେ ରାଜ୍ୟପାଳ ରାଜ୍ୟରେ କାର୍ଯ୍ୟ କରନ୍ତି। ଧାରା ୭୪ର ନିୟମ କହୁଛି ରାଷ୍ଟ୍ରପତି ଯେମିତି ହେଲେ ବି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରି ପରିଷଦର ପରାମର୍ଶ ମାନିବେ। ଏହାର ଅର୍ଥ କେନ୍ଦ୍ରରେ କ୍ଷମତାସୀନ ଦଳ ରାଷ୍ଟ୍ରପତିଙ୍କ ଦ୍ୱାରା ନିଜ ପସନ୍ଦର ଲୋକଙ୍କୁ ଯେକୌଣସି ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇପାରିବ।

ସୁପ୍ରିମକୋର୍ଟ ଏହି ଆଇନକୁ ନେଇ କ’ଣ କହିଛନ୍ତି?

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ୨୦୧୦ ମସିହାରେ ବିପି ସିଂହ ମାମଲାରେ ଐତିହାସିକ ରାୟ ଦେଇଥିଲେ। ୨୦୦୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନ ହାରିବା ପରେ ଉତ୍ତର ପ୍ରଦେଶ, ଗୁଜରାଟ, ହରିଆଣା ଓ ଗୋଆ ରାଜ୍ୟପାଳଙ୍କୁ ହଟାଇବା ମାମଲାର ଶୁଣାଣି ବେଳେ କୋର୍ଟ ଏକାଧିକ କଥା କହିଥିଲେ।

ସୁପ୍ରିମକୋର୍ଟ କହିଥିଲେ, ବିନା କାରଣରେ ଓ ଏକ ପାଖିଆ ଭାବେ ରାଷ୍ଟ୍ରପତି ନିଜ କ୍ଷମତା ଅନୁସାରେ କୌଣସି ରାଜ୍ୟପାଳଙ୍କୁ ବିଦା କରିପାରିବେ ନାହିଁ। ନିର୍ଦ୍ଦିଷ୍ଟ ଓ ଉପଯୁକ୍ତ କାରଣ ଥିଲେ ରାଷ୍ଟ୍ରପତି ଏହି କ୍ଷମତାର ବ୍ୟବହାର କରିପାରିବେ।

୨୦୨୦ରେ ଗୋଟିଏ ଏନଜିଓ ମାଡ୍ରାସ ହାଇକୋର୍ଟରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ହଟାଇବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଦାବି କରି ଆବେଦନ କରିଥିଲା। ୨୦୧୮ରେ ତାମିଲନାଡୁ କ୍ୟାବିନେଟ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେଉ ନଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ତାମିଲନାଡୁ କ୍ୟାବିନେଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ସମସ୍ତ ୭ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲା। ତେବେ ମାଡ୍ରାସ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

ଏହି ପ୍ରସଙ୍ଗ ଉପରେ ୩ଟି କମିଶନ ମଧ୍ୟ ଗଠନ ହୋଇଥିଲା। ତଥାପି କୌଣସି ସ୍ପଷ୍ଟ ନିଷ୍ପତ୍ତି ଏଯାଏ ନିଆଯାଇ ନାହିଁ। ପଶ୍ଚିମବଙ୍ଗ କ୍ଷେତ୍ରରେ ମମତା ସରକାର ରାଜ୍ୟପାଳଙ୍କୁ ବିଦା କରିବାକୁ ଚାହୁଁଥିବା ବେଳେ କେନ୍ଦ୍ର ସରକାର ଏଥିରେ ରାଜି ହୋଇ ନପାରନ୍ତି। ତେଣୁ ରାଷ୍ଟ୍ରପତି ମଧ୍ୟ ଏହି ପ୍ରସ୍ତାବ ଉପରେ ମୋହର ମାରି ନପାରନ୍ତି।

You might also like
Leave A Reply

Your email address will not be published.