ମୋକ୍ଷ-ଡ଼କ୍ଟର ସଞ୍ଜୟ ହାତୀ

ମୋକ୍ଷ’ ଆତ୍ମତୃପ୍ତି ବା ଆତ୍ମସନ୍ତୁଷ୍ଟିର ଏକ ଚରମ ଅବସ୍ଥା, ଯାହାପରେ ମଣିଷର ଆଉ କିଛି ପାଇବାର ଅଭିଳାଷ ରହେନା। ସେ ପରିତ୍ୟାଗ କରିସାରିଥାଏ ମାୟା ମୋହର ସାଂସାରିକ ବନ୍ଧନକୁ। ଏହି ଆତ୍ମତୃପ୍ତି ବା ଆତ୍ମସନ୍ତୁଷ୍ଟିର ପରିଭାଷା ଅନେକ, ସମସ୍ତଙ୍କ ନିମନ୍ତେ ଭିନ୍ନଭିନ୍ନ। ଏ ଆତ୍ମତୃପ୍ତି କେବଳ ମାନସିକ ଉପଲବ୍ଧିର ସେଇ ସ୍ତର, ଯାହା ମଣିଷର ଚଞ୍ଚଳ ମନକୁ ସ୍ଥିତପ୍ରଜ୍ଞ କରିଦେଇପାରେ। ମୋର ପ୍ରିୟ ପାଠକପାଠିକାଙ୍କୁ ମୋର ଦ୍ଵିତୀୟ ଉପନ୍ୟାସ ‘ମୋକ୍ଷ’ ଭଲଲାଗିବ ବୋଲି ଆଶା କରୁଛି। ସପ୍ତାହକୁ ଦୁଇଦିନ(ବୁଧବାର ଏବଂ ଶନିବାର) ଏହା ଧାରାବାହିକ ଭାବରେ ଫେସବୁକରେ ପୋଷ୍ଟ୍ ହେବ। ଆପଣମାନେ ପଢ଼ିବେ ଏବଂ ନିଜ ମତାମତ ଦେବାକୁ ଭୁଲିବେ ନାହିଁ।ପବିତ୍ର ରାମନବମୀରେ ମୋର ସମସ୍ତଙ୍କୁ ଅନେକ ଶୁଭକାମନା।#ମୋକ୍ଷ(୧)ରାତି ଅନେକ ହେଇଯାଇଥିଲା ସେତେବେଳକୁ। ଯଜ୍ଞ କିନ୍ତୁ ହଜିଯାଇଥିଲା ନିଜ କଳ୍ପନା ରାଜ୍ୟରେ। ଭୁଲିଯାଇଥିଲା ସମୟକୁ, ନିଜ ବୟସକୁ, ନିଜ ଦାୟିତ୍ଵକୁ, ନିଜ କର୍ତ୍ତବ୍ୟକୁ। ବିଭୋର ଥିଲା ନିଜ ସୃଷ୍ଟିର ଅପୂର୍ବ ସମ୍ଭାରରେ। କଳ୍ପନାର ସବୁ ସୌନ୍ଦର୍ଯ୍ୟ ଦେଇ ସେ ରୂପ ଦେଉଥିଲା ବିସ୍ମୟ ଓ କାରୁବାକୀର ପ୍ରେମକୁ। ଏମିତି ଗୋଟିଏ କାହାଣୀଟେ ଲେଖିବ ବୋଲି ସେ କେତେ ଭାବିଛି, କିନ୍ତୁ କେବେ ସେ ଏତେ ନିବିଡ଼ ଭାବରେ ଆଚ୍ଛନ୍ନ ହେଇନଥିଲା। ଏଇ କିଛିଦିନ ହେଲା ଶୋଇଲେ, ଉଠିଲେ କି ବସିଲେ ତାକୁ ଭାରି ଛଟପଟ ଲାଗୁଛି। ସୃଷ୍ଟି ସବୁବେଳେ ଏମିତି ଯନ୍ତ୍ରଣାକୁ ନିମନ୍ତ୍ରଣ କରେ। ସବୁ ସୁନ୍ଦର ସୃଷ୍ଟି ପୂର୍ବରୁ ଏ ଯନ୍ତ୍ରଣା ଅବଶ୍ୟ ମିଳେ, ନହେଲେ ସୃଷ୍ଟି ପ୍ରତି ସ୍ରଷ୍ଟାର ଏତେ ଆବେଗ, ଏତେ ଆକର୍ଷଣ କେମିତି ଆସନ୍ତା ଯେ। ମା’ ଶିଶୁକୁ ଜନ୍ମ ଦେବା ଆଗରୁ କେତେ ଯନ୍ତ୍ରଣା, କେତେ କଷ୍ଟ ପାଏ। ସେଇଥିପାଇଁ ସେ ତା’ର ସବୁ ମମତାକୁ ଅଜାଡ଼ି ଦିଏ ତା’ ସନ୍ତାନ ପାଖରେ। ସଂସାରର ସବୁ ଲେଖକବି ସେଇଆ। ଯଜ୍ଞର କଳ୍ପନା ଘରର ଚାରିକାନ୍ଥ ଡେଇଁ ଦୂର ଦିଗବଳୟ ଆଡ଼କୁ କେନା ମେଲି ସାରିଥିଲା। ତାରି ଭିତରେ ସେ ଦେଖୁଥିଲା କାରୁବାକୀର ସୁନ୍ଦର ରୂପଛବିକୁ। ବିସ୍ମୟ କାରୁବାକୀର କାନ୍ଧରେ ହାତ ରଖି ତାକୁ ନିଜ ଆଡ଼କୁ ଆଉଜେଇ ନେଇ ଗପିଚାଲିଥିଲା କେତେ କଥା। ସବୁ ଯଜ୍ଞର କଳ୍ପନାର କଥା। କାରୁବାକୀ ତା’ ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ, ସ୍ମିତ ହସି କହିଲା “ରାତି ଅନେକ ହେଲାଣି। ତମେ କଣ ଆଜି ମୋତେ ଯିବାକୁ ଦବନି ନା କଣ?” ବିସ୍ମୟ କଣ ସତରେ ତାକୁ ଏବେ ଯିବାକୁ ଦବ? ଯଜ୍ଞର ଆଖି ପଡ଼ିଲା ଡ୍ରଇଂରୁମର ଭିତର ପଟ ଦରଜା ଉପରେ, ସେଇଠି ଠିଆ ହେଇଥିଲା ଆହୂତି, ନୀରବରେ। ସମ୍ମୋହିତ ଯଜ୍ଞ ଆହୂତି ଭିତରେ ଖୋଜୁଥିଲା କାରୁବାକୀକୁ। “ରାତି କେତେ ହେଲାଣି, ଖାଇବ ଆସ” ଏସବୁ ଥିଲା ଆହୂତିର ନୀରବ ଶବ୍ଦ ସବୁ, ଯାହାକୁ ଶୁଣିପାରୁଥିଲା ଯଜ୍ଞ। କାନ୍ଥଘଡ଼ିକୁ ଚାହିଁ ଦେଖିଲା ରାତି ଏଗାରଟା ତିରିଶ ହେଲାଣି। ଆହୂତିର ଶୁଖିଲା ମୁହଁ, ନିଦରେ ଉତୁରି ପଡ଼ିଥିବା ଆଖି କହିଦେଉଥିଲା, ସେ ଏଯାଏ ଅପେକ୍ଷା କରିଛି ଯଜ୍ଞର ଆସିବାକୁ, ନିଜେ ଖାଇନି। ନିଜକୁ ଭାରି ଅପରାଧୀ ପରି ଲାଗୁଥିଲା ଯଜ୍ଞକୁ। ବଡ଼ ସନ୍ତର୍ପଣରେ କହିଲା “ଆହୂତି! ତମେ ଖାଇନେଲନି, ଅପେକ୍ଷା କାହିଁକି କରୁଥିଲ? ତମେତ ଜାଣିଛ…” ଆହୂତି ନୀରବ ଥିଲା, ତା’ ନୀରବ ଚାହାଣୀରେ ସେ’ବି କହିଦେଉଥିଲା “ଏଇଟାତ ନୂଆ କଥା ନୁହେଁ। ଏମିତି ସବୁବେଳେ ହେଇଆସିଛି…”କାରୁବାକୀର କଳ୍ପନା ଦିଗବଳୟରୁ ଫେରିଆସି ଅଟକି ଗଲା ଯଜ୍ଞର ଲେଖା କାଗଜରେ। ପୂର୍ଣ୍ଣଚ୍ଛେଦ ପଡ଼ିଲା ଯଜ୍ଞର ଭାବନାରେ। ଖାଇବା ପରେ ପୁଣି ସେ ବସିବ, ଏ ଅଧ୍ୟାୟକୁ ଶେଷ କରିବାକୁ। ଆଜି ମନରେ ବସନ୍ତ ଆସିଛି ଯେତେବେଳେ, ସେ ମଳୟର ସ୍ପର୍ଶ ଦେଇସାରିଛି। ଅତଏବ, ତା’ ପରିକଳ୍ପିତ କାହାଣୀ ଠିକ୍ ଭାବେ ରୂପ ପାଇପାରିବ। ଏ ସମୟ ଚାଲିଗଲେ ଆଉ ସେ ଲେଖିପାରିବ ନାହିଁ। କିନ୍ତୁ ଏବେ ତାକୁ ଭାବିବାକୁ ହେବ ଆହୂତି କଥା। ଯେତେହେଲେ ଆହୂତି ତା’ର ଧର୍ମପତ୍ନୀ। ଏମିତି ପତ୍ନୀ, ଯିଏ ଆଖିବନ୍ଦ କରି ତା’ର ସବୁ ପାଗଳାମୀକୁ ବରଦାସ୍ତ କରିଛି। ବିବାହର କୋଡ଼ିଏ ବର୍ଷ ବିତିଗଲାଣି, ଅଥଚ ସେ ଯଜ୍ଞକୁ ଠିକ୍ ଭାବେ ବୁଝିପାରିନାହିଁ। ଯଜ୍ଞବି କେବେ କିଛି ବୁଝେଇବାକୁ ଚେଷ୍ଟା କରେନି। କଣ ହେଲା, ଯଦି ସେ ସମସ୍ତଙ୍କ ଲାଗି ସାରାଜୀବନ ଅବୁଝା ହେଇ ରହିଯାଏ। ଯଜ୍ଞ କେବେକେବେ ଭାବେ ଆହୂତିର ସ୍ଵାମୀ ହେବା ଲାଗି ସେ ସତରେ ଅଯୋଗ୍ୟ। ସ୍ତ୍ରୀ ହିସାବରେ ଆହୂତି ନା କେବେ କିଛି ଦାବୀ କରିଛି, ନା ନପାଇବାରେ ଅଭିମାନ କରିଛି। ନିଜକୁ ସତରେ ଯେମିତି ସେ ଯଜ୍ଞରେ ଆହୂତି ଦେଇଛି, ଠିକ୍ ସେମିତି ମନେହୁଏ। ଯଜ୍ଞ ଖାଇବାକୁ ବସିଲା, କିନ୍ତୁ ତା’ ଭାବନା ଚାଲିଗଲା ପୁଣି କାରୁବାକୀ ପାଖକୁ। ଆହୂତି ବାଢ଼ିଦେଇ ସେଇଠି ଠିଆ ହୋଇଥିଲା, ଦେଖୁଥିଲା ନୀରବରେ। ଯଜ୍ଞ ମୋହାଚ୍ଛନ୍ନ ଅବସ୍ଥାରେ କହିଦେଲା “କାରୁବାକୀ! ତମେବି ଆସ, ଖାଇନବା ଦିହେଁ ସାଙ୍ଗହୋଇ, ତା’ପରେ ଆମେ ଯିବା ଏମିତି ଏକାନ୍ତକୁ, ଯୋଉଠି ଆମେ ମନଭରି ଖୁବ୍ କଥାହେବା। ସେଠି ଆଉ କେହି ନଥିବେ, ଥିବା ଖାଲି ଆମେ ଦିହେଁ।” ଆହୂତିର ନୀରବତା ତାକୁ ପୁଣି ପ୍ରକୁସ୍ଥିତ କରାଇଦେଲା। କହିଲା “ଆହୂତି!ଏଇ ଯୋଉ ଉପନ୍ୟାସଟି ଲେଖୁଛି, ତା’ ନାଁ ଦେଇଛି ମୋକ୍ଷ। ନାୟିକାର ନାଁ କାରୁବାକୀ। ଭାବିଥିଲି ତମରି ନାଁ’ ଦେବି ବୋଲି, କିନ୍ତୁ କଣ ଭାବି କାରୁବାକୀ ରଖିଦେଲି। ତମ ନାଁ’ ଦେଇଥିଲେ ନାୟକର ନାମ ପୁଣି ଯଜ୍ଞ ରଖିବାକୁ ହେଇଥାନ୍ତା ନା….” ହସିଦେଲା ନିଜେନିଜେ। ଆହୂତି ମୁହଁରେ କିନ୍ତୁ କିଛି ପ୍ରତିକ୍ରିୟା ନଥିଲା। ନା ଖୁସିର, ନା ଦୁଃଖର ନା ଅଭିମାନର। ଯଜ୍ଞ ପୁଣି କହିଚାଲିଲା “ନାଁ’ ଟା ସିନା ଦେଇନି, କିନ୍ତୁ ତା’ ଭିତରେ ମୁଁ ତମକୁ ଦେଖୁଛି ଆହୂତି। ସତକଥାତ, ଏତେ ବର୍ଷ ଭିତରେ ଆଉ କୋଉ ନାରୀ ସଂପର୍କରେ ମୁଁ ଆସିଛିଯେ, ଆଉ କାହାକଥା ଭାବିପାରିବି? ତମେଇତ ମୋ ସତ ଜୀବନର ନାୟିକା।” ତଥାପି ଆହୂତି ନୀରବ ଥିଲା। ମୁହଁ ଖୋଲିଲା “ଆଉ ଖଣ୍ଡେ ରୁଟି ଦଉଛି””ନା, ଥାଉ। ବେଶି ଖାଇଲେ ଶୋଇବାକୁ ଇଚ୍ଛା ହବ। ଆଜି କିନ୍ତୁ ମୁଁ ରାତିରେ ଚେଇଁବି ଆଉ ସେ ଅଧ୍ୟାୟକୁ ଶେଷ କରିବି। ତମେ ପ୍ଲିଜ୍ ଖାଇଦେଇ ଶୋଇପଡ଼ିବ।”ଖାଇବା ସରିଯାଇଥିଲା ଯଜ୍ଞର। ହାତମୁହଁ ଧୋଇ ନିଜ ମୁହଁ ପୋଛିବାକୁ ଧରିନେଲା ଆହୂତିର ପଣତକାନିକୁ। ଏଇ ସମୟଟା ତାକୁ ଖୁବ୍ ଭଲଲାଗେ। ପଣତରେ ମୁହଁ ପୋଛିବାବେଳେ ତାକୁ ତା’ ବୋଉର ପଣତକାନିରେ ମୁହଁ ପୋଛିବା ପରି ଲାଗେ। ନୂଆନୂଆ ବାହାହେଇ ଆସିବା ପରେ ଏସବୁକୁ ଭାରି ବିରକ୍ତ ହଉଥିଲା ଆହୂତି। “କଣଯେ, ତମ ଗାମୁଛା କି ତଉଲିଆରେ ମୁହଁ ନପୋଛି, ସବୁବେଳେ ମୋ ଲୁଗାକାନିରେ କାହିଁକି ପୋଛୁଚ? ରଙ୍ଗ ଛାଡ଼ିଯିବ, ଚିରିଯିବ ଶିଘ୍ର।” ଯଜ୍ଞ ହସିଦେଇ କହୁଥିଲା “ରଙ୍ଗ ଛାଡ଼ିଗଲେ ଛାଡ଼ିଯାଉ। ମୁଁ ଯୋଉ ଭଲପାଇବାର ରଙ୍ଗ ସେଥିରେ ଲଗଉଛି, ସେ କଣ ସହଜରେ ଛାଡ଼ିବ?” ଲାଜେଇ ଯାଉଥିଲା ଆହୂତି। ପରେ ଏଇଟା ଅଭ୍ୟାସ ହେଇଗଲା ଦିହିଁଙ୍କର। କାନିରେ ହାତ ନପୋଛିଲେ, ଆହୂତିକୁ ଲାଗେ ଯଜ୍ଞ ବୋଧେ ଆଜି ଖାଇନାହିଁ। ଆଜି ଶାଢ଼ୀକାନିରେ ହାତ ମୁହଁ ପୋଛୁପୋଛୁ ଯଜ୍ଞ ଦେଖିଲା କାନିଟା ମଝିରୁ ଚିରିଯାଇଛି। ଉପର ପଟେ ଗୋଟିଏ ଗଣ୍ଠି ପକେଇ ଆହୂତି ଚେଷ୍ଟା କରିଛି ସେ ଚିରାଯାଗାକୁ ଲୁଚେଇବା ଲାଗି। ସେ ଚାହିଁଲା ଆହୂତିକୁ। ପଚାରିବାର ସାହସ ନଥିଲା। ସେ ଜାଣିଛି, ଆହୂତିର ପ୍ରାୟ ସବୁ ଶାଢ଼ୀ ଏମିତି ଚିରିଗଲାଣି। ଗତ ଦୁଇବର୍ଷ ଭିତରେ ସେ ଖଣ୍ଡେବି ନୂଆଶାଢ଼ୀ ଆଣିପାରିନି ତା’ ଲାଗି। ଅର୍ଥର ଅଭାବ। ସେଇ ଅଭାବ ଭିତରେ ଆହୂତି କେବେବି ମୁହଁ ଖୋଲିନି ଥରକ ପାଇଁ। ଭୋକ, ରୋଗ, ଶୋକ ସବୁ ନିଜ ଦେହରେ ମାରିଛି ନୀରବରେ। କାହାଆଗେ କରିବ ଅଭିଯୋଗ? ଏଇ ଲୋକ ଆଗରେ? ଯିଏ ଆଜି କଳ୍ପନାରେ କାରୁବାକୀକୁ ପାଟଶାଢ଼ୀ ଆଉ ସୁନାଗହଣାରେ ସଜେଇ ଦେଇପାରେ ଅଥଚ ଆହୂତିର ଚିରା ଶାଢ଼ୀକୁ ଦେଖିପାରେନା? ଅପରାଧୀ ପରି ଯଜ୍ଞ ଠିଆ ହେଇଥିଲା ଆହୂତି ପାଖରେ। କଣ କହିବ ସେ ଆହୂତିକୁ? ଭାବୁଥିଲା, ଆଜି ରାତିରେ ଆହ୍ଲାଦ୍ଦୀନର କୁହୁକ ଦୀପରୁ ସେ ଜୀନ୍ ବାହାରିଆସି ତାକୁ ଖାଲି କହନ୍ତା “ହୁକୁମ୍ ଆକା, କଣ ଦରକାର କୁହନ୍ତୁ”। ସେ ସାଙ୍ଗେସାଙ୍ଗେ ଆହୂତି ପାଇଁ ବହୁତ ଶାଢ଼ୀ ଆଉ ଗହଣା ଆଣିଦବାକୁ କହନ୍ତା ନିଶ୍ଚୟ। ତା’ ଆଖି ଛଳଛଳ ହେଇଯାଉଥିଲା। ସଂସାରର ସବୁଠୁ ଅଯୋଗ୍ୟ ସ୍ଵାମୀ ସେଇ, ଯିଏ ସ୍ତ୍ରୀ’ର ଲଜ୍ଜା ଢାଙ୍କିବାକୁ ଲୁଗାଖଣ୍ଡେ ଦେଇପାରେନା। ଏଇ ଭାବନା ତାକୁ ଖାଇଯାଉଥିଲା।ରୋଷେଇଘରୁ ବାହାରି ଆସିଲା ନିଜ ଟେବଲ୍ ପାଖକୁ। ଆଉ ଇଚ୍ଛା ନଥିଲା କିଛି ଲେଖିବାକୁ। ବାସ୍ତବତା ଆଉ କଳ୍ପନା ଭିତରେ ସତରେ ଆକାଶ ପାତାଳ ଫରକ୍। ବାସ୍ତବତା ଦଂଶନ କରେ, କଳ୍ପନା କିନ୍ତୁ ଚନ୍ଦନର ଶୀତଳତା ଦେଇ ସବୁ ଯନ୍ତ୍ରଣା ଭୁଲେଇଦିଏ। କାରୁବାକୀ ଆସିଯାଇଥିଲା ପୁଣି ତା’ର ଭାବନା ଭିତରକୁ। ତା’ର ସେଇ ସମ୍ମୋହିତା ଚାହାଣୀରେ ହଜିଯାଉଥିଲା ଯଜ୍ଞ…..(କ୍ରମଶଃ)

You might also like
Leave A Reply

Your email address will not be published.